INDIRA GANDHI INSTITUTE OF TECHNOLOGY, sarang
ଇନ୍ଦିରା ଗାନ୍ଧୀ ବୈଷୟିକ ଅନୁଷ୍ଠାନ, ସରାଙ୍ଗ
An Autonomous Institute of Govt. of Odisha

ନିର୍ଦ୍ଦେଶକଙ୍କ ବାର୍ତ୍ତା

ମୁଁ ଆପଣଙ୍କୁ ଇନ୍ଦିରା ଗାନ୍ଧୀ ବୈଷୟିକ ଅନୁଷ୍ଠାନ, ସରାଙ୍ଗ କୁ ସ୍ୱାଗତ କରୁଛି I ଏହି ସୌଭାଗ୍ୟ ମୋ ପାଇଁ ଏକ ଅନନ୍ୟ ସମ୍ମାନ I ଆମ ଶିକ୍ଷାନୁଷ୍ଠାନ, ଚିରସ୍ରୋତା ବ୍ରାହ୍ମଣୀ ନଦୀ କୂଳରେ ସବୁଜ ବନାନୀ ଘେରା ପ୍ରାକୃତିକ ପରିବେଶରେ ଅବସ୍ଥିତ I ତାଳଚେର-ଅନୁଗୁଳ ଶିଳ୍ପ ବଳୟର କେନ୍ଦ୍ରସ୍ଥଳରେ ଅବସ୍ଥିତି, ଆମକୁ ଶୈଳ୍ପିକ ଏବଂ ଯାନ୍ତ୍ରିକ ଉତ୍କର୍ଷତା ହାସଲ ଦିଗରେ ଅନୁକୂଳ ପରିବେଶ ପ୍ରଦାନ କରେ I

ବିଗତ କିଛି ଦଶନ୍ଧି ମଧ୍ୟରେ ଆମ ଅନୁଷ୍ଠାନ ଗବେଷଣା ଓ ଇଂଜିନିୟରିଂ ଶିକ୍ଷା କ୍ଷେତ୍ରରେ ନିଜସ୍ୱ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି I ବିଭିନ୍ନ ପାଠ୍ୟକ୍ରମରେ ବର୍ଷ ପରେ ବର୍ଷ ମେଧାବୀ ଛାତ୍ର ଛାତ୍ରୀଙ୍କର ଯୋଗଦାନ ଏବଂ ସୁଯୋଗ୍ୟ ଅଧ୍ୟାପକ ମଣ୍ଡଳୀ ଆମ ଅନୁଷ୍ଠାନର ସାମର୍ଥ୍ୟ ଓ ଶକ୍ତିର ଉତ୍ସ I ଶୈକ୍ଷିକ ଉତ୍କର୍ଷତାର ସୃଜନ ଓ ପାଳନ ପାଇଁ ଆମେ ଅତ୍ୟାଧୁନିକ ବୈଜ୍ଞାନିକ ଗବେଷଣାରେ ମନୋନିବେଶ କରିଛୁ I ଦେଶର ବିଭିନ୍ନ ଶିଳ୍ପ ସଂସ୍ଥା ସହ ଆମର ନିରବଛିନ୍ନ ସମ୍ପର୍କ ଆମକୁ ଶିକ୍ଷା କ୍ଷେତ୍ରରେ ସମୟୋପଯୋଗୀ ପରିବର୍ତ୍ତନ ନିମନ୍ତେ ନୂଆ ଅଭିଜ୍ଞତା ପ୍ରଦାନ କରି ଆସୁଅଛି I ଆମକୁ ଦେଶର ଅନ୍ୟ ପ୍ରମୁଖ ଶିକ୍ଷାନୁଷ୍ଠାନ ମାନଙ୍କ ସହ ସମକକ୍ଷ ହେବା ପାଇଁ ଆମର ଗବେଷଣା ଓ ଶିକ୍ଷାର ମାନଦଣ୍ଡ କୁ ଆହୁରି ଉଚ୍ଚସ୍ତର କୁ ନେବାକୁ ପଡିବ I ଏହି ଲକ୍ଷ୍ୟ ହାସଲ ନିମିତ୍ତ କଠିନ ପରିଶ୍ରମର ଆବଶ୍ୟକତା ରହିଛି I ବ୍ୟକ୍ତିଗତ ସ୍ତରରେ ଅନୁଷ୍ଠାନ ନିମନ୍ତେ ଉତ୍ସର୍ଗୀକୃତ ମନୋଭାବ ଏବଂ ସାମୂହିକ କାର୍ଯ୍ୟ ସାଧନ ନିମନ୍ତେ ଏକତ୍ଵବୋଧ ସହ ଯୋଗଦାନ ଆମକୁ ଉତ୍କର୍ଷତାର ଆଉ କିଛି ସୋପାନ ଆରୋହଣ କରିବାରେ ନିଶ୍ଚୟ ସହାୟକ ହେବ I

ଶିକ୍ଷାନୁଷ୍ଠାନ କହିଲେ କେବଳ ବିଶାଳ ସୌଧମାଳା, ଶ୍ରେଣୀଗୃହ ସବୁ, ତା'ର ଅଧ୍ୟାପକ ମଣ୍ଡଳୀ ଓ ଛାତ୍ରଛାତ୍ରୀମାନଙ୍କୁ ବୁଝାଏ ନାହିଁ I ଏସବୁ ଦୃଶ୍ୟମାନ ବିଭବ ବାହାରେ ଶିକ୍ଷାନୁଷ୍ଠାନର ଜୀବନ ସହ ଅବିଚ୍ଛେଦ୍ୟ ଭାବରେ ଯୋଡି ହୋଇଥାଏ, ପ୍ରତିଷ୍ଠା ସମୟରୁ ଏଯାବତ ଅନେକ ବଦାନ୍ୟ ବ୍ୟକ୍ତି ବିଶେଷ ଓ କର୍ତ୍ତବ୍ୟନିଷ୍ଠ ଅଧ୍ୟାପକ ମାନଙ୍କର ତ୍ୟାଗ ଓ ଦୀକ୍ଷିତ ପୁରାତନ ଛାତ୍ର ଛାତ୍ରୀ ଙ୍କର ଭଲପାଇବା I ସମୟ ପଥରେ ଚାରି ଦଶନ୍ଧିରୁ ଦୀର୍ଘ ସମୟ ଧରି ଯାତ୍ରା ଜାରି ରଖିଛି ଆମ ଅନୁଷ୍ଠାନ I ଇତି ମଧ୍ୟରେ ଦିନେ ଆମ ଅନୁଷ୍ଠାନରୁ ବୃତ୍ତିଗତ ପରିଚୟ ଲାଭ କରିଥିବା ଅନେକ ଛାତ୍ରଛାତ୍ରୀ ବିବିଧ କ୍ଷେତ୍ରରେ ପ୍ରଶଂସନୀୟ ସଫଳତା ଲାଭ କରି ଜାତୀୟ ସ୍ତରରେ ଓ ବିଶ୍ବ ଦରବାରରେ ଆମ ଅନୁଷ୍ଠାନ ପାଇଁ ନୂଆ ନୂଆ ଗାରିମାମୟ ପରିଚୟ ଆଣି ଦେଇଛନ୍ତି I ଏସବୁ ଆମ ଅନୁଷ୍ଠାନ ସହ ଜଡିତ ସମସ୍ତଙ୍କ ପାଇଁ ଗୌରବ ର ବିଷୟ I ଜଣେ ବ୍ୟକ୍ତିର ଅନୁଷ୍ଠାନ ସହ ସମ୍ପର୍କର ଅବଧି ମଣିଷ ଜୀବନକାଳର ସ୍ୱଚ୍ଛତା ହେତୁ ସୀମିତ I କିନ୍ତୁ, ଶିକ୍ଷାନୁଷ୍ଠାନ ଟିଏ ବଞ୍ଚିରହେ ଓ କ୍ରମବର୍ଦ୍ଧିଷ୍ଣ ଉତ୍ସାହରେ ଜ୍ଞାନ ର ସୌରଭ ବିତରଣ କରି ଚାଲିଥାଏ ଶହ ଶହ ବର୍ଷ ପର୍ଯ୍ୟନ୍ତ I

ମୁଁ ଆଶା କରେ ଉଚ୍ଚମାନର ଭିତ୍ତିଭୂମି, ପ୍ରବୀଣ ଅଧ୍ୟାପକ, ଅଧ୍ୟାପିକା, ଓ ଅନୁଷ୍ଠାନର ସମସ୍ତ କର୍ମଚାରୀ ମାନଙ୍କ ବଳିଷ୍ଠ ସହଯୋଗ ଓ ପ୍ରତିଭାଦୀପ୍ତ ଛାତ୍ରଛାତ୍ରୀ ଙ୍କ ଅଧ୍ୟବସାୟକୁ ସମ୍ବଳ କରି ଆମେ ପରିବର୍ତ୍ତିତ ସମୟରେ ଦେଶର ବୌଦ୍ଧିକ ଏବଂ କାର୍ମିକ ଉନ୍ନତି ସ୍ରୋତରେ ଆମ ଅନୁଷ୍ଠାନର ଅମୂଲ୍ୟ ଯୋଗଦାନର ଧାରା ଅବ୍ୟାହତ ରଖି ପାରିବୁ I

ଡ. ସତ୍ୟବ୍ରତ ମହାନ୍ତ